କଳିଙ୍ଗା ଘାଟି: କନ୍ଧମାଳକୁ ପ୍ରବେଶଦ୍ୱାର

ପ୍ରକୃତିର ତାଣ୍ଡବ ଆଗରେ କିଛି ମଧ୍ୟ ତିଷ୍ଠି ରହି ପାରେନା ଯାହାକି ପ୍ରମାଣ ହୋଇଛି ୨୦୨୫ ସାଲ ସେପ୍ଟେମ୍ବର ୧୬ ତାରିଖ ଅପରାହ୍ନ ୩ ଘ ୩୦ ମିନିଟ ସମୟରେ। ଗଞ୍ଜାମ ଓ ଅବିଭକ୍ତ ଫୁଲବାଣୀ ଜିଲ୍ଳାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ଯାହା ଦେଇ ଜାତୀୟ ରାଜପଥ -୧୫୭ ସର୍ପିଳ ଗତିରେ ଯାଇଛି ତାହା ଲଗାଣ ମୂଷଳ ଧାରାରେ ବର୍ଷ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଘାଟିର ଅନ୍ଧାରକୋଟ ଅଞ୍ଚଳରେ ମାଁ ବନଦୁର୍ଗା ମନ୍ଦିର ପାଖରେ ପ୍ରାୟ ତିରିଶ ମିଟର ରାସ୍ତା ମାଟି ଅତଡ଼ା ଖସି ଓ ଭୁସ୍ଖଳନ ଘଟି ଧୋଇ ହୋଇ ଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଅଭୂତପୂର୍ବ ଥିଲା। ଏହି ଜାତୀୟ ରାଜପଥଟି ଦକ୍ଷିଣ ପଶ୍ଚିମ ଓଡ଼ିଶା ଓ ଉତ୍ତର ପୂର୍ବ ଓଡ଼ିଶାର ଜୀବନରେଖା ଥିଲା। ଏହି ରାଜପଥ ରାଞ୍ଚି ବିଜୟୱାଡ଼ା କରିଡ଼ରର ଏକ ଅଂଶ ଅଟେ ଯାହାକି ଦୈନିକ ହଜାର ହଜାର ଗାଡ଼ି ମଟରଙ୍କ ଯାତାୟାତ ପଥ ଥିଲା। ଏହି କଳିଙ୍ଗା ଘାଟି ପୂର୍ବଘାଟ ପାର୍ବତମାଳାର ଅନ୍ତର୍ଭୁକ୍ତ ଅଟେ ଓ ମୁଖ୍ୟତଃ ଗଞ୍ଜାମର ଦୁର୍ଗାପ୍ରସାଦ ଗାଁ ଠାରୁ ଆରମ୍ଭ ହୋଇ କନ୍ଧମାଳ ଜିଲ୍ଲାର କଳିଙ୍ଗା ଗ୍ରାମରେ ୧୧ କିମି ଦୂରତା ପରେ ଶେଷ ହୋଇଥାଏ । ଏହି ଘାଟିରେ ଅସଂଖ୍ୟ ବୁଲାଣି ( Hairpin Bends ) ଓ ଅଙ୍କାବଙ୍କା ରାସ୍ତା ରହିଛି।ସମୁଦ୍ର ପତ୍ତନ ଠାରୁ କଳିଙ୍ଗା ଘାଟିର ହାରାହାରି ୭୨୯ ମିଟର ବା ୨୩୯୨ ଫୁଟ ଅଟେ। କଳିଙ୍ଗା ଗ୍ରାମର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ୭୦୧ ମିଟର ବା ୨୨୯୯ ଫୁଟ ଅଟେ। ଏହି ଘାଟିର ପାହାଡ଼ ଉପରମୁଣ୍ଡରୁ ଲୋହାର ଖଣ୍ଡି (Loharkhandi ) ନାମକ ଏକ ଝରଣା ( ପରେ ନଦୀରେ ପରିଣତ ହୋଇଛି) ଉତ୍ପତ୍ତି ହୋଇ ଗଞ୍ଜାମ ଜିଲ୍ଲାକୁ ପ୍ରବାହିତ ହେଉଛି ( Orissa District Gazetteers , 1983 Ed.. p-9) । ସମ୍ଭବତଃ ମା ବନଦୁର୍ଗା ମନ୍ଦିର ଦେଇ ଅନ୍ଧାରକୋଟ ଅଞ୍ଚଳରେ ଉପରମୁଣ୍ଡରୁ ତଳଦେଶକୁ ପ୍ରବାହିତ ହେଉଥିବା ବନ ଝରଣା ଟି ହିଁ ଲୋହାରଖଣ୍ଡି ଅଟେ।
ବ୍ରିଟିଶ ଅମଳରେ ଏହା ଏକ ପ୍ରାକୃତିକ ପାହାଡ଼ି ଘାଟି ରାସ୍ତା ( Mountain Pass ) ଥିଲା  ଯାହା ଦେଇ ମେରିଆ ପୂଜା ବା ମଣିଷ ବଳି ବନ୍ଦ ଓ ଘୁମୁସରର କନ୍ଧ ବିଦ୍ରୋହୀ  ନେତା ଚକରା ବିଷୋୟୀ ଦୋରା ବିଷୋୟୀ ଓ ନବଘନ କଂହର ଙ୍କୁ ଦମନ କରିବା ପାଇଁ ବ୍ରିଟିଶ ତୁଙ୍ଗ ଅଫିସର ଯଥା ସାମୁଏଲ ମାକଫେରସନ ଓ କ୍ୟାପଟେନ ଜନ କ୍ୟାମ୍ପବେଲ ଘୋଡ଼ା ଚଢ଼ି ସୈନ୍ୟ ମାନଙ୍କୁ ନେଇ କନ୍ଧମାଳ ବା ପ୍ରାଚୀନ କାଳର ସେହି ଅତାବିକା ( Atavika Country ) ବା କୁଇଦିନା ( ଆଦିବାସୀଙ୍କ ଦେଶ ) କୁ ଆସୁଥିଲେ। ଏହି ଘାଟି କନ୍ଧମାଳର ଐତିହ୍ୟ ଓ ଗୌରବ। ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଅତୁଳନୀୟ ଅଟେ ଓ ଏହା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ହୋଇଥିବାରୁ ଯଥାଶୀଘ୍ର ଏହାକୁ ମରାମତି କରି ଏହାର ପୂର୍ବାବସ୍ଥା କୁ ଫେରେଇ ଅଣାଯାଉ।
ବ୍ୟକ୍ତିଗତ ଆଲେଖ୍ୟ
ଡ. ପ୍ରଦୀପ କୁମାର ନାୟକ


Comments

Popular posts from this blog

ବଳିଆ କୁକୁରଙ୍କ ସହ ସାମନା ସାମନି

𝗠𝘆 𝗠𝗼𝘁𝗵𝗲𝗿'𝘀 𝗚𝗼𝗹𝗱 𝗡𝗲𝗰𝗸𝗹𝗮𝗰𝗲