କଳିଙ୍ଗା ଘାଟି: କନ୍ଧମାଳକୁ ପ୍ରବେଶଦ୍ୱାର
ପ୍ରକୃତିର ତାଣ୍ଡବ ଆଗରେ କିଛି ମଧ୍ୟ ତିଷ୍ଠି ରହି ପାରେନା ଯାହାକି ପ୍ରମାଣ ହୋଇଛି ୨୦୨୫ ସାଲ ସେପ୍ଟେମ୍ବର ୧୬ ତାରିଖ ଅପରାହ୍ନ ୩ ଘ ୩୦ ମିନିଟ ସମୟରେ। ଗଞ୍ଜାମ ଓ ଅବିଭକ୍ତ ଫୁଲବାଣୀ ଜିଲ୍ଳାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟି ଯାହା ଦେଇ ଜାତୀୟ ରାଜପଥ -୧୫୭ ସର୍ପିଳ ଗତିରେ ଯାଇଛି ତାହା ଲଗାଣ ମୂଷଳ ଧାରାରେ ବର୍ଷ ଯୋଗୁଁ କ୍ଷତିଗ୍ରସ୍ତ ହୋଇଛି। ଘାଟିର ଅନ୍ଧାରକୋଟ ଅଞ୍ଚଳରେ ମାଁ ବନଦୁର୍ଗା ମନ୍ଦିର ପାଖରେ ପ୍ରାୟ ତିରିଶ ମିଟର ରାସ୍ତା ମାଟି ଅତଡ଼ା ଖସି ଓ ଭୁସ୍ଖଳନ ଘଟି ଧୋଇ ହୋଇ ଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ଅଭୂତପୂର୍ବ ଥିଲା। ଏହି ଜାତୀୟ ରାଜପଥଟି ଦକ୍ଷିଣ ପଶ୍ଚିମ ଓଡ଼ିଶା ଓ ଉତ୍ତର ପୂର୍ବ ଓଡ଼ିଶାର ଜୀବନରେଖା ଥିଲା। ଏହି ରାଜପଥ ରାଞ୍ଚି ବିଜୟୱାଡ଼ା କରିଡ଼ରର ଏକ ଅଂଶ ଅଟେ ଯାହାକି ଦୈନିକ ହଜାର ହଜାର ଗାଡ଼ି ମଟରଙ୍କ ଯାତାୟାତ ପଥ ଥିଲା। ଏହି କଳିଙ୍ଗା ଘାଟି ପୂର୍ବଘାଟ ପାର୍ବତମାଳାର ଅନ୍ତର୍ଭୁକ୍ତ ଅଟେ ଓ ମୁଖ୍ୟତଃ ଗଞ୍ଜାମର ଦୁର୍ଗାପ୍ରସାଦ ଗାଁ ଠାରୁ ଆରମ୍ଭ ହୋଇ କନ୍ଧମାଳ ଜିଲ୍ଲାର କଳିଙ୍ଗା ଗ୍ରାମରେ ୧୧ କିମି ଦୂରତା ପରେ ଶେଷ ହୋଇଥାଏ । ଏହି ଘାଟିରେ ଅସଂଖ୍ୟ ବୁଲାଣି ( Hairpin Bends ) ଓ ଅଙ୍କାବଙ୍କା ରାସ୍ତା ରହିଛି।ସମୁଦ୍ର ପତ୍ତନ ଠାରୁ କଳିଙ୍ଗା ଘାଟିର ହାରାହାରି ୭୨୯ ମିଟର ବା ୨୩୯୨ ଫୁଟ ଅଟେ। କଳିଙ୍ଗା ଗ୍ରାମର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ୭୦୧ ମିଟର ବା ୨୨୯୯ ଫୁଟ ଅଟେ। ଏହି ଘାଟିର ପାହା...